ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ବାତ୍ୟା ଆଶଙ୍କା ! ୨୯ରେ ସମ୍ଭାବ୍ୟ ବାତ୍ୟା ନେଇ ଆକଳନ, ଗତିପଥ ଅସ୍ପଷ୍ଟ
ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟକୁ ନେଇ ବଢ଼ିଲା ଚର୍ଚ୍ଚା । ଅକ୍ଟୋବର ୨୩ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି କିଛି ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଆକଳନ କରୁଛନ୍ତି। ଏହା କ୍ରମଶଃ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତର ରୂପ ନେଇପାରେ ।

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟକୁ ନେଇ ବଢ଼ିଲା ଚର୍ଚ୍ଚା । ଅକ୍ଟୋବର ୨୩ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି କିଛି ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଆକଳନ କରୁଛନ୍ତି। ଏହା କ୍ରମଶଃ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତର ରୂପ ନେଇପାରେ । ପରବର୍ତ୍ତୀ ସମୟରେ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ନେଇ ମଧ୍ୟ ଆକଳନ କରାଯାଉଛି ।
ପାଣିପାଗ ମଡେଲ୍ GFS ଓ ECMWFର କିଛି ଆକଳନ ଅନୁଯାୟୀ, ଅକ୍ଟୋବର ୨୩ରେ ଲଘୁଚାପ ସୃଷ୍ଟି ହେବା ପରେ ୨୫ ତାରିଖ ବେଳକୁ ଏହା ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହୋଇପାରେ। ଏହା ପରେ ଅକ୍ଟୋବର ୨୯ ବେଳକୁ ବାତ୍ୟାର ରୂପ ନେବାର ସମ୍ଭାବନା କିଛି ମଡେଲ୍ରେ ଦର୍ଶାଯାଇଛି । ତେବେ ଏହି ଆକଳନ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ ବାତ୍ୟା ସୃଷ୍ଟି ଓ ଏହାର ତୀବ୍ରତା ସମ୍ପର୍କରେ ଏବେଠାରୁ ନିଶ୍ଚିତ ଭାବେ କହିବା ସମ୍ଭବ ନୁହେଁ । ସମ୍ଭାବ୍ୟ ବାତ୍ୟାର ଗତିପଥକୁ ନେଇ ଏବେ ଅନିଶ୍ଚିତତା ଜାରି ରହିଛି। କିଛି ଆନ୍ତର୍ଜାତିକ ପାଣିପାଗ ମଡେଲ୍ର ଆକଳନ ଅନୁଯାୟୀ, ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିପାରେ । କାକିନାଡ଼ା କିମ୍ବା ବିଶାଖାପାଟଣା ନିକଟରେ ସ୍ଥଳଭାଗ ଛୁଇଁବା ନେଇ ମଧ୍ୟ ସମ୍ଭାବନା ଦର୍ଶାଯାଉଛି। ତେବେ ଏହା କେବଳ ପ୍ରାରମ୍ଭିକ ମଡେଲ୍ ଆକଳନ । ସ୍ଥଳଭାଗ ଛୁଇଁବାର ସ୍ଥାନ ଓ ଗତିପଥ ଏବେ ସ୍ପଷ୍ଟ ହୋଇନାହିଁ ।
କିଛି ଆନ୍ତର୍ଜାତିକ ପାଣିପାଗ ମଡେଲ୍ରେ ସମ୍ଭାବ୍ୟ ବାତ୍ୟାର ପବନ ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ଟପିବାର ସଙ୍କେତ ମିଳୁଛି । ତେବେ ବାତ୍ୟାର ତୀବ୍ରତା ଓ ପବନର ବେଗ ସମ୍ପର୍କରେ ବର୍ତ୍ତମାନ କୌଣସି ନିଶ୍ଚିତ ଆକଳନ କରାଯାଇପାରିବ ନାହିଁ। ଭାରତୀୟ ପାଣିପାଗ ବିଭାଗ (IMD)ର ଆଧିକାରିକ ପୂର୍ବାନୁମାନକୁ ଅପେକ୍ଷା କରାଯାଇଛି । ଲଘୁଚାପ ସୃଷ୍ଟି ହେଲେ ଅକ୍ଟୋବର ୨୩ରୁ ଓଡ଼ିଶାର କିଛି ଅଞ୍ଚଳରେ ପାଗ ପରିବର୍ତ୍ତନ ସହ ବର୍ଷା ହେବାର ସମ୍ଭାବନା ରହିପାରେ। ବିଶେଷ କରି ଦକ୍ଷିଣ ଓଡ଼ିଶାର ପାଗ ଉପରେ ନଜର ରହିଛି । ତେବେ ବର୍ଷାର ପରିମାଣ ଓ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ଆଧିକାରିକ ପୂର୍ବାନୁମାନ ଆସିବା ପରେ ଅଧିକ ସ୍ପଷ୍ଟତା ମିଳିବ ।
ସମ୍ଭାବ୍ୟ ପାଣିପାଗ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଚାଷୀମାନେ ପାକଳ ଫସଲର ସୁରକ୍ଷା ପାଇଁ ଆଗୁଆ ପ୍ରସ୍ତୁତି କରିବା ଆବଶ୍ୟକ । କଟା ଧାନକୁ ଶୁଖିଲା ଓ ସୁରକ୍ଷିତ ସ୍ଥାନରେ ରଖିବା ସହ ଜମିରେ ଜଳ ନିଷ୍କାସନ ବ୍ୟବସ୍ଥା କରିବା ଉଚିତ। ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବା ସମ୍ପର୍କରେ ପାଣିପାଗ ବିଭାଗର ଆଧିକାରିକ ସୂଚନା ଓ ସତର୍କ ସୂଚନାକୁ ଅନୁସରଣ କରିବା ଜରୁରୀ ।
