ବିରାଜିଲେ ମା’ ମହାଲକ୍ଷ୍ମୀ ; ଗାଁଠୁ ସହର ସବୁଠି ଖୁସି , ଉତ୍ସବର ପରିବେଶ
ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା । ମା’ ଲକ୍ଷ୍ମୀଙ୍କ ଆଗମନ ପାଇଁ ଚଳଚଞ୍ଚଳ ଗାଁଠୁ ସହର । ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଅଞ୍ଚଳରେ ଜୋରଦାର ପ୍ରସ୍ତୁତି । ଆଲୋକମାଳାରେ ଝଲସୁଛି ମଣ୍ଡପ । ସୁରକ୍ଷା ଓ ଶୃଙ୍ଖଳିତ ପୂଜା ପାଇଁ ପ୍ରଶାସନର ଗୁରତ୍ବ

ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା।। ମା’ ଲକ୍ଷ୍ମୀଙ୍କ ଆଗମନ ପାଇଁ ଚଳଚଞ୍ଚଳ ଓଡ଼ିଶାର ବିଭିନ୍ନ ସହର ଓ ଗ୍ରାମାଞ୍ଚଳ । ଓଡ଼ିଶାର ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଓ କେନ୍ଦ୍ରାପଡ଼ା ଅଞ୍ଚଳରେ ମା’ଙ୍କ ଆବାହନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ମା’ଙ୍କ ଆବାହନ ପାଇଁ ରାଜ୍ୟର ସମସ୍ତ ମଣ୍ଡପ ଏବେ ଆଲୋକମାଳାରେ ଝଲସି ଉଠୁଛି। ସୁରକ୍ଷା ଓ ଶୃଙ୍ଖଳିତ ପୂଜା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବୈଠକ କରାଯାଇଛି। ଭୁବନେଶ୍ୱର ଜାଗମରା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମେଳଣ ପଡ଼ିଆରେ ଆକର୍ଷଣୀୟ ମନ୍ଦିର ଶୈଳୀରେ ତୋରଣ ନିର୍ମାଣ କରାଯାଉଛି। ଏଥିପାଇଁ ପଶ୍ଚିମବଙ୍ଗରୁ ୨୦ରୁ ଅଧିକ କାରିଗର ଆସି କାମ ଶେଷ ପର୍ୟ୍ୟାୟରେ ପହଞ୍ଚାଇଛନ୍ତି। ମୟୂରଭଞ୍ଜ ବଡ଼ସାହି ବ୍ଲକର ସର୍ବପୁରାତନ ମଣ୍ଡପ ବେଲପାଳ ଗ୍ରାମରେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ୬୯ ବର୍ଷରେ ପଦାର୍ପଣ କରିଛି। ଗଞ୍ଜାମର ପୁଇଁତୋଳା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତୋରଣ, ସାଜସଜ୍ଜା ଓ ମୂର୍ତ୍ତି ନିର୍ମାଣ କାମ ଶେଷ ହୋଇ ଆଜିଠାରୁ ପୂଜା ଆରମ୍ଭ ହେଉଛି। ଚଳିତ ବର୍ଷ ପଞ୍ଜିକା ଗଣନା ଅନୁସାରେ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜାର ସଠିକ୍ ସମୟକୁ ନେଇ କିଛି ସ୍ଥାନରେ ସାମାନ୍ୟ ଦ୍ୱନ୍ଦ୍ୱ ଦେଖାଦେଇଛି। କିନ୍ତୁ ସଂଧ୍ୟା ସମୟର ପୂର୍ଣ୍ଣିମା ତିଥିକୁ ଆଧାର କରି ୨୫ ଅକ୍ଟୋବର ଦିନ ହିଁ ମୁଖ୍ୟ ପୂଜା ଅନୁଷ୍ଠିତ ହେବ।
ଧୂମଧାମରେ ପାଳନ ହେଲା କୁମାରୀ ବିବାହ। ଗାଁ ଦାଣ୍ଡରେ ବନ୍ଧା ଯାଇଥିଲା ଟେଣ୍ଟ l ରଙ୍ଗ ବେରଙ୍ଗର ଆଲୋକ ମାଳା ଏବଂ ନାନାଦି ଫୁଲରେ ସଜ୍ଜା ଯାଇଥିଲା ବିବାହ ବେଦୀ l ବେଦୀ ଉପରେ ରଖା ଯାଇଥିଲା ସମସ୍ତ ପ୍ରକାର ପୂଜା ସାମଗ୍ରୀ l ବାଜା ବାଣ ରୋଷଣି ଶୋଭାଯାତ୍ରାରେ ବର ଶୁଭ କାରରେ କନ୍ୟା ଘର ନିକଟରେ ପହଞ୍ଚିଥିଲା l ସାଙ୍ଗରେ ଥିଲେ ବରଯାତ୍ରୀ ଏବଂ ବାରିକ ପୁରୋହିତ l ଏହା କୌଣସି ସତ ସତିକା ବିବାହ ଵିଧି ନଥିଲା l କୁମାର ପୂର୍ଣ୍ଣିମା ଉତ୍ସବ ଅବ୍ୟବହିତ ପୂର୍ବରୁ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ବ୍ଲକ ଅଧୀନ ରଣପୁର ଗାଁ ଦାଣ୍ଡ ଶଙ୍ଖ ଓ ମହିଳାଙ୍କ ହୁଳହୁଳି ଶବ୍ଦରେ ଉଛୁଳି ପଡିଥିଲା l ସକାଳ ବେଳା କ୍ଷେତ୍ରପାଳୀ ଠାକୁରାଣୀଙ୍କ ନିକଟରେ ଦିଅଁ ମଙ୍ଗୁଳା ଵିଧି ଅନୁଷ୍ଠିତ ହୋଇଥିଲା l ହିନ୍ଦୁ ଘର ରୀତି ନୀତି ଅନୁସାରେ ଜ୍ୱାଇଁ ବାଟ ବରଣି ପ୍ରଥା ସମ୍ପର୍ଣ୍ଣ ହୋଇଥିଲା l ପୁରୋହିତ ସାଇଙ୍କ ମନ୍ତ୍ର ଉଚ୍ଚାରଣ ତାଳେ ତାଳେ ବର କନ୍ୟାଙ୍କ ହାତଗଣ୍ଠି ପକା ପରମ୍ପରା ଅନୁଷ୍ଠିତ ହୋଇଥିଲା l ବେଦିରେ ନବ ବିବାହିତା କୁମାରୀ, ମହିଳା ଏବଂ ନିମନ୍ତ୍ରିତ ବନ୍ଧୁ ବାନ୍ଧବ ବନ୍ଦା ପନା କରି ବର କନ୍ୟାଙ୍କୁ ଟଙ୍କା ଏବଂ ନୂଆ ପୋଷାକ ଉପହାର ମଧ୍ୟ ଦେଇଥିଲେ l
