October 28, 2026

ରମାଦେବୀରେ BCJDର ବାଜିମାତ୍! ସଭାପତି ସହ ପୂରା ପ୍ୟାନେଲ ଜିତିଲା, ବିଳମ୍ୱିତ ରାତି ଯାଏ ଚାଲିଲା ହାଇଡ୍ରାମା

0

ରମାଦେବୀରେ BCJDର ବାଜିମାତ୍! ସଭାପତି ସହ ପୂରା ପ୍ୟାନେଲ ଜିତିଲା, ବିଳମ୍ୱିତ ରାତି ଯାଏ ଚାଲିଲା ହାଇଡ୍ରାମା

ଭୁବନେଶ୍ୱର: ରମାଦେବୀରେ ବାଜି ମାରିଲା ବିସିଜେଡି । ସଭାପତି ଭାବେ (BCJD) ପ୍ରାର୍ଥୀ ସୋନାଲି ବେହେରା ବିଜୟୀ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଲକ୍ଷ୍ମୀପ୍ରିୟା ବିଶ୍ୱାଳ ବିଜୟୀ ହୋଇଛନ୍ତି । ରାଜ୍ୟର ଅଗ୍ରଣୀ ମହିଳା ଉଚ୍ଚଶିକ୍ଷା କେନ୍ଦ୍ର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ବଡ଼ ସଫଳତା ହାସଲ କରିଛି ।

ଦୀର୍ଘ ସମୟ ଧରି ନାଟକୀୟ ମୋଡ଼ ଦେଖିବାକୁ ମିଳିଥିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ । ସମୟ ଗଡି ଚାଲୁଥିଲା, କିନ୍ତୁ ଘୋଷଣା ହେଉନଥିଲା ଫଳାଫଳ । ନିର୍ବାଚନ ଅଧିକାରୀ ଆସି ଗଣତି ଚାଲିଥିବା କଥା ସୂଚନା ଦେଇଥିଲେ । ଶେଷରେ ସସପେନ୍ସର ଅନ୍ତ ହୋଇ ରାତି ୨ଟା ୪୫ ମିନିଟରେ ବିଜୟୀ ଘୋଷଣା କରିଥିଲେ କର୍ତ୍ତୃପକ୍ଷ । ଏହା ପରେ ଆରମ୍ଭ ହୋଇଥିଲା ବିଜୟ ଉତ୍ସବ। ବିଜୟୀ ଘୋଷଣା ପରେ ବିଜେଡି କର୍ମୀ ବାହାରେ ବାନା ଉଡ଼ାଇ ଥିଲେ। ଦଳର ନେତା ନେତ୍ରୀ ଙ୍କ ସହିତ ଯୁବ କର୍ମୀ ବି ଉତ୍ସଵ ମନାଇ ଥିଲେ। କାନ୍ଦି ପକାଇ ଥିଲେ ସଭାପତି, ଉପ ସଭାପତି , ସାଧାରଣ ସମ୍ପାଦକ ଓ ନାଟ୍ୟ ସମ୍ପାଦକ। ଛାତ୍ର ସଭାପତି ଇପ୍ସିତା ସାହୁ ମଧ୍ୟ ପହଞ୍ଚିବା ପରେ ଆହୁରି ଜୋରଦାର ହୋଇଥିଲା ଉତ୍ସବ।

ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ରାଜଧାନୀର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ରାତିସାରା ହାଇଡ୍ରାମା ଦେଖିବାକୁ ମିଳିଥିଲା । ସଭାପତି ପଦର ଫଳାଫଳକୁ ନେଇ ଦ୍ୱନ୍ଦ୍ୱ ଓ ଉତ୍ତେଜନା ପରେ ବିଳମ୍ବିତ ରାତିରେ ପୁନଃ ଭୋଟ୍‌ ଗଣତି କରାଯାଇଥିଲା । ଏହି ଗଣତିରେ ବିସିଜେଡି (BCJD) ପ୍ରାର୍ଥୀ ସୋନାଲି ବେହେରା ବିଜୟୀ ହୋଇଥିବା ସୂଚନା ମିଳିଥିଲା । ସନ୍ଧ୍ୟା ସମୟରେ ପ୍ରଥମେ ଛାତ୍ର ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ନେଇ ସୂଚନା ଆସିବା ପରେ ଏହାକୁ ନେଇ ଅଭିଯୋଗ କରିଥିଲେ ଏବିଭିପି ପ୍ରାର୍ଥୀ । ଫଳାଫଳକୁ ନେଇ ଅସନ୍ତୋଷ ଓ ବିବାଦ ବଢ଼ିବା ପରେ ପୁନଃ ଗଣତି କରିବାକୁ ପଦକ୍ଷେପ ନିଆଯାଇଥିଲା। ବିଳମ୍ବିତ ରାତିରେ ସଭାପତି ପଦର ପ୍ରାର୍ଥୀଙ୍କ ଉପସ୍ଥିତିରେ ଏହି ଗଣତି ହୋଇଥିଲା। ପୁନଃ ଗଣତି ପରେ ସୋନାଲି ବେହେରାଙ୍କୁ ବିଜୟୀ ଘୋଷଣା କରାଯାଇଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ପରିସର ଓ ବାହାରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ କ୍ୟାମ୍ପସରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଏଥିସହ କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀଙ୍କୁ ସେଠାରୁ ଚାଲିଯିବା ପାଇଁ ପୋଲିସ ପକ୍ଷରୁ ଅପିଲ୍‌ କରାଯାଇଥିଲା ।

Leave a Reply

Your email address will not be published. Required fields are marked *