October 28, 2026

Cricket Record: ୧ ବଲରେ ୭ ରନ୍, ନା ଚୌକା ନା ଛକା ମାରିଥିଲେ ବ୍ୟାଟର, ତଥାପି କେମିତି ହେଲା ସମ୍ଭବ?

0

Cricket Record: ୧ ବଲରେ ୭ ରନ୍, ନା ଚୌକା ନା ଛକା ମାରିଥିଲେ ବ୍ୟାଟର, ତଥାପି କେମିତି ହେଲା ସମ୍ଭବ?

କ୍ରିକେଟ୍ ଇତିହାସରେ ଅନେକ ଅଦ୍ଭୁତ ଘଟଣା ଦେଖିବାକୁ ମିଳେ । ଅନେକ ରେକର୍ଡ ସୃଷ୍ଟିହୋଇ ଭାଙ୍ଗିଛି । ଆଉ ଅନେକ ରେକର୍ଡ ସେମିତି ଇତିହାସ ହୋଇ ରହିଛି । କିଛି ବିରଳ ଘଟଣା କ୍ରିକେଟକୁ ସ୍ବର୍ଣ୍ଣିମ କରିରଖିଥିବା ବେଳେ ଆଉ କିଛି ବିରଳତମ ଘଟଣା କ୍ରିକେଟକୁ ଅମର କରିରଖିଛି ।

ସେଥିମଧ୍ୟରୁ ୧୯୮୧ ମସିହାରେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନର ମାଜିଦ ଖାନ୍ ଓ ମୁଦାସର ନଜ୍ଜର ଏକ ଅନନ୍ୟ କୀର୍ତ୍ତି ସ୍ଥାପନ କରିଥିଲେ । ଗୋଟିଏ ବଲ୍‌ରୁ ସେମାନେ ୭ ରନ୍ ସଂଗ୍ରହ କରି ସମସ୍ତଙ୍କୁ ଚକିତ କରିଥିଲେ । ସବୁଠୁ ବଡ଼ କଥା ହେଉଛି ସେହି ବଲ ନା ନୋ-ବଲ୍‌ ଥିଲା ନା-ୱ୍ବାଇଡ୍‌ ।

ସାଧାରଣତଃ ଗୋଟିଏ ବଲ୍‌ରୁ ସର୍ବାଧିକ ୬ ରନ୍ ସମ୍ଭବ ବୋଲି ଧରାଯାଏ । କିନ୍ତୁ ଏହି ମ୍ୟାଚ୍‌ରେ କୌଣସି ନୋ-ବଲ୍‌, ୱାଇଡ୍‌, ବାଏ କିମ୍ବା ଲେଗ୍‌ ବାଏ ବିନା ଦୁଇ ବ୍ୟାଟର କେବଳ ଦୌଡ଼ି ଦୌଡି ୭ ରନ୍ ନେଇଥିଲେ । ଏହି କାରଣରୁ ଏହା କ୍ରିକେଟ୍‌ର ସବୁଠାରୁ ବିରଳ ଘଟଣା ମଧ୍ୟରୁ ଗୋଟିଏ ହୋଇ ରହିଛି ।

ମାଜିଦ ଖାନ୍ ବଲ୍‌କୁ ପଏଣ୍ଟ ଅଞ୍ଚଳକୁ କଟ୍‌ ଶଟ୍‌ ଖେଳିଥିଲେ । ବଲ୍‌ ଦୂରକୁ ଯିବାରୁ ଉଭୟ ବ୍ୟାଟର ଦ୍ରୁତ ଗତିରେ ଦୌଡ଼ି ପ୍ରଥମେ ୪ ରନ୍ ସମ୍ପୂର୍ଣ୍ଣ କରିଥିଲେ । ଅଷ୍ଟ୍ରେଲିଆ ଫିଲ୍ଡର ବଲ୍‌ ଉଠାଇ ୱିକେଟ୍‌ ଆଡ଼କୁ ଫିଙ୍ଗିଥିଲେ।

ଫିଲ୍ଡରଙ୍କ ଥ୍ରୋ ସଠିକ୍ ନହେବାରୁ କିପର ବି ହାତଛଡା କରିଥିଲେ ଏବଂ ବଲ୍‌ ଅନ୍ୟ ପାର୍ଶ୍ୱକୁ ଚାଲିଯାଇଥିଲା । ଏହି ସୁଯୋଗକୁ ହାତଛଡ଼ା ନକରି ମାଜିଦ ଖାନ୍ ଓ ମୁଦାସର ନଜ୍ଜର ଆଉ ୩ ରନ୍ ଦୌଡ଼ି ମୋଟ ୭ ରନ୍ ସଂଗ୍ରହ କରିଥିଲେ ।

ଏହି ଘଟଣାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଯେ, ଏଥିରେ କୌଣସି ଅତିରିକ୍ତ ରନ୍ ଯୋଡ଼ାଯାଇନଥିଲା । ଦୁଇ ବ୍ୟାଟର ଦୌଡି ଦୌଡି ୭ ରନ୍ କରିନେଇଥିଲେ । ତେଣୁ ଏହା କ୍ରିକେଟ୍ ଇତିହାସରେ ଏକ ଅସାଧାରଣ ଉଦାହରଣ ହୋଇ ରହିଛି।

ସେହି ଟେଷ୍ଟ ମ୍ୟାଚ୍‌ରେ ମାଜିଦ ଖାନ୍ ଚମତ୍କାର ବ୍ୟାଟିଂ କରି ୭୪ ରନ୍ ସଂଗ୍ରହ କରିଥିଲେ । ଅନ୍ୟପଟେ ମୁଦାସର ନଜ୍ଜର ମଧ୍ୟ ତାଙ୍କ ସହ ଏହି ବିରଳ ଘଟଣାକୁ ସମ୍ଭବ କରିଥିଲେ । ଏହି ଘଟଣା ପ୍ରମାଣ କରିଥିଲା ଯେ, କେବଳ ବଡ଼ ଶଟ୍‌ ନୁହେଁ, ସଠିକ୍ ରନିଂ ବିଟୁଇନ୍‌ ଦ ୱିକେଟ୍‌ ମଧ୍ୟ ମ୍ୟାଚ୍‌ର ଚିତ୍ର ବଦଳାଇପାରେ । ଉଭୟ ବ୍ୟାଟରଙ୍କ କ୍ରିଜ୍‌ର ସଠିକ ବ୍ୟବହାର ଏବଂ ଦୌଡି ଦୌଡି ରନ୍ କରିବା ସେମାନଙ୍କୁ ଏହି ଅନନ୍ୟ କୀର୍ତ୍ତି ଦେଇଥିଲା ।

ଅଷ୍ଟ୍ରେଲିଆ ଫିଲ୍ଡରଙ୍କ ସାମାନ୍ୟ ଭୁଲ ଥ୍ରୋ ପାକିସ୍ତାନ ପାଇଁ ବଡ଼ ଲାଭରେ ପରିଣତ ହୋଇଥିଲା । କ୍ରିକେଟ୍‌ରେ ଗୋଟିଏ ଛୋଟ ଭୁଲ କିପରି ବଡ଼ ରେକର୍ଡର କାରଣ ହୋଇପାରେ, ଏହି ଘଟଣା ତାହାର ଜୀବନ୍ତ ଉଦାହରଣ । ବହୁ ବର୍ଷ ପରେ ଏହି ଘଟଣାର ଭିଡିଓ ସୋସିଆଲ୍‌ ମିଡିଆରେ ପୁଣି ଭାଇରାଲ୍‌ ହୋଇଥିଲା । କ୍ରିକେଟ୍ ପ୍ରେମୀମାନେ ଏହାକୁ କ୍ରିକେଟ ଇତିହାସର ସବୁଠାରୁ ଅଦ୍ଭୁତ ରନିଂ ମଧ୍ୟରୁ ଗୋଟିଏ ବୋଲି କହିଥିଲେ ।

ଆଜି ମଧ୍ୟ ମାଜିଦ ଖାନ୍ ଓ ମୁଦାସର ନଜ୍ଜରଙ୍କ ଏହି କୀର୍ତ୍ତି କ୍ରିକେଟ୍ ଇତିହାସରେ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି । ଗୋଟିଏ ବଲ୍‌ରେ କୌଣସି ଅତିରିକ୍ତ ରନ୍ ବିନା ୭ ରନ୍ ସଂଗ୍ରହ କରିବାର ଏହି ଘଟଣା ଆଜି ବି କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ରୋମାଞ୍ଚକର ଏବଂ ଅବିଶ୍ୱସନୀୟ ସ୍ମୃତି ହୋଇ ରହିଛି ।

Leave a Reply

Your email address will not be published. Required fields are marked *