October 28, 2026

ଟାଇଗର ଶ୍ରଫ୍‌ଙ୍କ ଘର ଉପରେ ଗୁଳିମାଡ଼ ମାମଲା; ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଲିଙ୍କ୍‌ ନେଇ ତଦନ୍ତ, ୩ ଅଭିଯୁକ୍ତଙ୍କୁ ୧୦ ଦିନିଆ ପୋଲିସ ରିମାଣ୍ଡ

0

ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ସହ ଜଡ଼ିତ ଗୁଳିମାଡ଼ ମାମଲାରେ ତଦନ୍ତ ଜୋରଦାର କରିଛି ମୁମ୍ବାଇ ପୋଲିସ । ଏହି ମାମଲାରେ ମୁମ୍ବାଇର କିଲ୍ଲା କୋର୍ଟରେ ଶୁଣାଣି ସମୟରେ ପୋଲିସ ଏକ ବଡ଼ ଷଡ଼ଯନ୍ତ୍ରର ସନ୍ଦେହ ପ୍ରକାଶ କରିଛି ।

ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ସହ ଜଡ଼ିତ ଗୁଳିମାଡ଼ ମାମଲାରେ ତଦନ୍ତ ଜୋରଦାର କରିଛି ମୁମ୍ବାଇ ପୋଲିସ । ଏହି ମାମଲାରେ ମୁମ୍ବାଇର କିଲ୍ଲା କୋର୍ଟରେ ଶୁଣାଣି ସମୟରେ ପୋଲିସ ଏକ ବଡ଼ ଷଡ଼ଯନ୍ତ୍ରର ସନ୍ଦେହ ପ୍ରକାଶ କରିଛି । ଅଭିଯୁକ୍ତମାନେ ନିଜ ମୋବାଇଲ୍ ଫୋନ୍ ନଷ୍ଟ କରିଦେଇଥିବା ପୋଲିସ କୋର୍ଟକୁ ଜଣାଇଛି । ଅଧିକ ତଦନ୍ତ ପାଇଁ ପୋଲିସ ୧୪ ଦିନର ରିମାଣ୍ଡ ମାଗିଥିବା ବେଳେ କୋର୍ଟ ତିନି ଅଭିଯୁକ୍ତଙ୍କୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ୧୦ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି ।

ପୋଲିସର କହିବା ଅନୁଯାୟୀ, ଏହି ମାମଲାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ଗ୍ୟାଙ୍ଗ୍‌ର ସଦସ୍ୟ ଅନିଲ ପଣ୍ଡିତଙ୍କ ନାମ ମଧ୍ୟ ତଦନ୍ତ ପରିସରକୁ ଆସିଛି। ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି କି ନାହିଁ, ଏହାର ଖୁଲାସା ପାଇଁ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ଆବଶ୍ୟକ ବୋଲି ପୋଲିସ କୋର୍ଟରେ ଯୁକ୍ତି ରଖିଛି ।

ଏହାସହ ଅଭିଯୁକ୍ତମାନେ କେଉଁଠାରୁ ଅସ୍ତ୍ରଶସ୍ତ୍ର ଆଣିଥିଲେ ଏବଂ ଅନ୍ୟ କୌଣସି ଅସ୍ତ୍ର ରହିଛି କି ନାହିଁ, ସେନେଇ ତଦନ୍ତ ଚାଲିଥିବା ପୋଲିସ କହିଛି । ଅଭିଯୁକ୍ତଙ୍କ ବିରୋଧରେ ଆର୍ମସ୍ ଆକ୍ଟ ସହ ଅନ୍ୟାନ୍ୟ ଗୁରୁତର ଧାରା ଲାଗିଛି ।  ସରକାରୀ ଓକିଲ କୋର୍ଟରେ କହିଛନ୍ତି ଯେ, ସିସିଟିଭି ଫୁଟେଜ୍ ଯାଞ୍ଚ ଏବଂ ବାଇକ୍‌କୁ ଟ୍ରାକ୍ କରି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ଗୁରୁତର ଅଭିଯୋଗ ରହିଥିବାରୁ ପୋଲିସ ରିମାଣ୍ଡ ଆବଶ୍ୟକ ବୋଲି ସରକାରୀ ପକ୍ଷ ଯୁକ୍ତି ଦେଇଛି ।

ଏହି ମାମଲାରେ ଅନ୍ୟ ରାଜ୍ୟରେ ମଧ୍ୟ ତଦନ୍ତ କରିବାକୁ ପଡ଼ିବ ବୋଲି କ୍ରାଇମ୍‌ ବ୍ରାଞ୍ଚ୍ କୋର୍ଟକୁ ଜଣାଇଛି। ଏକ ଅଡିଓ କ୍ଲିପ୍‌କୁ ନେଇ ମଧ୍ୟ ତଦନ୍ତ ଚାଲିଛି । ଅନ୍ୟପଟେ, ଅଭିଯୁକ୍ତଙ୍କ ଓକିଲ ସେମାନଙ୍କୁ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି । କେବଳ ସନ୍ଦେହ ଆଧାରରେ ଗିରଫ କରାଯାଇଥିବା ଦର୍ଶାଇ ସେ ଅଧିକ ପୋଲିସ ରିମାଣ୍ଡକୁ ବିରୋଧ କରିଥିଲେ । ଅଭିଯୁକ୍ତମାନଙ୍କୁ ପୂର୍ବରୁ ୪୮ ଘଣ୍ଟା ରିମାଣ୍ଡରେ ରଖି ପଚରାଉଚରା କରାଯାଇଥିବା ମଧ୍ୟ ସେ କହିଥିଲେ । ଏହି ମାମଲାରେ ଦିଲ୍ଲୀ, ଗୁଜରାଟ ଓ ହରିୟାଣାରୁ ଅନ୍ୟ କିଛି ଲୋକଙ୍କୁ ମଧ୍ୟ ଗିରଫ କରାଯାଇଥିବା ଖବର ରହିଛି । ତେବେ ମାମଲାରେ ଅଭିଯୁକ୍ତଙ୍କ ଦୋଷ ପ୍ରମାଣିତ ହୋଇନାହିଁ; ପୋଲିସ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *